ମୁମ୍ଵାଇ ୧୭।୦୬; ଖୁବଶୀଘ୍ର ଆସୁଛି ଜଣାଶୁଣା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କମେଡି ଶୋ' । 'ଦି ଗ୍ରେଟ୍ ଇଣ୍ଡିଆନ କପିଲ ସୋ'ର ସିଜିନ୍-୩ ଆରମ୍ଭ ହେବାକୁ ଯାଉଛି । ଏହି ଶୋ'ର ପ୍ରଥମ ଏପିସୋଡ ଖୁବଶୀଘ୍ର ନେଟ୍ଫ୍ଲିକ୍ସରେ ରିଲିଜ୍ ହେବ । ଏହାକୁ ନେଇ ସୋ ନିର୍ମାତା ଇନ୍ଷ୍ଟାଗ୍ରାମରେ ରିଲିଜ ତାରିଖ ଘୋଷଣା କରିଛନ୍ତି । ଏନେଇ କପିଲ ଶର୍ମା ମଧ୍ୟ ନିଜ ସୋ'ର ପ୍ରଥମ ଏପିସୋଡ ବିଷୟରେ ଆଲୋଚନା କରିଛନ୍ତି । କହିଛନ୍ତି ପ୍ରଥମ ଏପିସୋଡ୍ରେ ଅତିଥି ରହିବେ ଜଣେ ବଲିଉଡ୍ ସୁପରଷ୍ଟାର।
କପିଲ ଶର୍ମାଙ୍କ କମେଡି ଶୋ'ର ପ୍ରଥମ ଏପିସୋଡ୍ରେ ସଲ୍ମାନ ଖାନ୍ ମୁଖ୍ୟ ଅତିଥି ଭାବେ ଯୋଗଦେବେ । 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ' ସିଜନ୍ ୩'ର ପ୍ରଥମ ଏପିସୋଡ୍ ଜୁନ୍ ୨୧ ତାରିଖରେ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବ । ଏପିସୋଡ୍ ରିଲିଜ ହେବା ପୂର୍ବରୁ କପିଲ୍ ଶର୍ମା ଇନଷ୍ଟାଗ୍ରାମରେ ସଲମାନ ଖାନଙ୍କ ସହ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ଫଟୋ ସେୟାର କରି କପିଲ ଲେଖିଛନ୍ତି, "ସିକନ୍ଦରଙ୍କ ସହିତ ଆମେ ଶୋ'ର ଆରମ୍ଭ କରିବୁ । ଜୁନ୍ ୨୧ ତାରିଖରୁ ପ୍ରତି ଶନିବାର ରାତି ୮ଟାରେ ନେଟ୍ଫ୍ଲିକ୍ସରେ ଦେଖନ୍ତୁ ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ ସିଜନ୍ ୩ ।
ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ' ସିଜନ୍ ୩ ଏଥର ଦର୍ଶକଙ୍କ ପାଇଁ ଖାସ ହେବାକୁ ଯାଉଛି । କାରଣ ୫ ବର୍ଷ ପରେ ଶୋ'କୁ ଫେରିବାକୁ ଯାଉଛନ୍ତି ନବଜୋତ ସିଂ ସିଦ୍ଧୁ । ଏହାପରେ ଅର୍ଚ୍ଚନା କେଉଁ ଭୂମିକାରେ ନଜର ଆସିବେ ତାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି । ସିଦ୍ଧୁଙ୍କୁ ଶୋ'ରେ ବିଚାରକ ଭାବରେ ଦେଖିବାକୁ ପାଇବେ ଦର୍ଶକ । ଅତିଥିଙ୍କ କଥା କହିଲେ ଶୋ'ରେ ସଲମାନ ଖାନ୍ଙ୍କ ବ୍ୟତୀତ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ, ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ଋଷଭ ପନ୍ତ ଓ ଅଭିଶେକ ଶର୍ମା ପ୍ରମୁଖ ନଜର ଆସିବେ । ଚହଲ ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ' ସୁଟିଂ ବେଳର ଅନେକ ଫଟୋ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି ।